କରୋନା ମୁକାବିଲା କାମରେ ଆସିବ କଟକ ଆଇଟିଆଇ ଦ୍ବାରା ପ୍ରସ୍ତୁତ ରୋବର୍ଟ
- Sanjog
- Apr 29, 2020
- 1 min read
Updated: Apr 29, 2020

କଟକ, ଏପ୍ରିଲ ୨୯ (ସଂଯୋଗ ନ୍ୟୁଜ) : କଟକ ସରକାରୀ ଆଇଟିଆଇ ଦ୍ବାରା ନିକଟରେ ପ୍ରସ୍ତୁତ ରୋବର୍ଟ କରୋନା ମୁକାବିଲା କାମରେ ଆସିପାରେ ବୋଲି ଏହାର ଅଧ୍ୟକ୍ଷ ଡଃ ହୃଶିକେଷ ମହାନ୍ତି କହିଛନ୍ତି ।
କଟକ ଆଇଟିଆଇ ଗବେଷଣା ତଥା ନୂତନ ଉଦ୍ଭାବନ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ନିକଟରେ କରୋନା ସନ୍ଦିଗ୍ଧଙ୍କ ସ୍ବାବ ସଂଗ୍ରହ ନିମନ୍ତେ ଏକ ନିରାପଦ ବ୍ୟବସ୍ଥା କରି ଆଇଟିଆଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏଠାକାର ଶିକ୍ଷକମାନେ ନିଜସ୍ବ ଉଦ୍ୟମରେ ଦୁଇଟି ରୋବଟ ପ୍ରସ୍ତୁତ କରିଛନ୍ତି ।
ଏହି ଦୁଇଟି ରୋବୋଟ ସଂପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।
ପ୍ରଥମ ସର୍ଭିସ ରୋବୋଟ ନାମକରଣ କୋ-ବଟ(କରୋନା କମ୍ବାଟ ରୋବୋଟ)ଟି ମଣିଷ ଆକାରର । ଏହି ରୋବୋଟ ଚକା ଦ୍ବାରା ଗତି କରିବ ଓ ହାତର ଟ୍ରେରେ ୨୦ କିଲୋ ଓଜନର ସାମଗ୍ରୀ ବହନ କରିପାରିବ । ଏଣୁ ଏହାକୁ କୋଭିଡ ହସପିଟାଲରେ ରୋଗୀଙ୍କ ନିକଟରେ ଖାଦ୍ୟ, ପାନୀୟ ତଥା ଔଷଧ ଆଦି ନେବା ଆଣିବା କାର୍ଯ୍ୟରେ ଲଗାଯାଇପାରିବ।
ଏଥିରେ ୱାୟାରଲେସ କମ୍ୟୁନିକେସନ ପ୍ରୋଟକଲ ବ୍ୟବହାର କରାଯାଇଛି । ନ୍ୟାଭିଗେସନ ଓ ମ୍ୟାପିଙ୍ଗ ଦ୍ୱାରା ଏହାକୁ ଅଧିକ ବିକଶିତ କରାଯାଇ ପାରିଲେ ଏହା ସ୍ୱଂୟଚାଳିତ ହୋଇ କାର୍ଯ୍ୟକ୍ଷମ ହୋଇପାରିବ ।
ସେହିପରି ଦ୍ୱିତୀୟ ରୋବୋଟ ହେଉଛି ନିଗା-ବଟ । ଏହା ମାଧ୍ୟମରେ ଡାକ୍ତରମାନେ ନିଜ ଚାମ୍ବରରେ ବସି ରୋଗୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ଏଥିରେ ସଂଯୁକ୍ତ ଲାଇଭ ଭିଡିଓ ଦ୍ୱାରା ଏହା ସଂଭ ବ ହୋଇପାରିବ । ଏଥିରେ ମଧ୍ୟ ଚକ ଲାଗିଛି ।
ଆଇଟିଆଇର ଶିକ୍ଷକ ଲଳିତ ମହାନ୍ତି, ଦୀପକ କୁମାର ମୁଦୁଲି, ସଂଜୟ କର, ଲଳିତା ସୁନ୍ଦରୀ ମାର୍ଥା, ମିତାଲି ରାୟ ଓ ଜ୍ୟୋତିରଂଜନ ବାରିକ ଏହି ଦୁଇଟିକୁ ପ୍ରସ୍ତୁତ କରିଛନ୍ତି ।
Comments