top of page

ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେଲେ ଭ୍ରଷ୍ଟାଚାର ହଟିବ କି ?

  • Writer: Sanjog
    Sanjog
  • Apr 1, 2023
  • 4 min read

ଅକ୍ଷୟ କୁମାର ମିଶ୍ର

ବୋଧହୁଏ ଭ୍ରଷ୍ଟାଚାର ଆମ ଦେହସୁହା ହୋଇଗଲାଣି। ମାନସିକ ସ୍ତରରେ ତାକୁ ସମସ୍ତେ ଗ୍ରହଣ କରିନେଇଛନ୍ତି ବୋଲି ପ୍ରତୀୟମାନ ହେଉଛି।କିଛି ଲୋକ ଲୋଭ ଲାଳସାର ବଶବର୍ତ୍ତୀ ହୋଇ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିବା ନିଶାରେ ଉଚିତ ଅନୁଚିତ ବିଚାର ନକରି ଭ୍ରଷ୍ଟାଚାର କରୁଛନ୍ତି।କିଛି ଲୋକ ଏହାକୁ ପ୍ରୋତ୍ସାହିତ କରୁଛନ୍ତି।କିଛି ଲୋକ ଏହାକୁ ନୀରବ ସମର୍ଥନ କରୁଛନ୍ତି।ଆଉ କିଛି ଲୋକ ଆଜିର ଦିନରେ ଏହାକୁ ରୋକାଯାଇ ପାରିବନି ବୋଲି ଧରିନେଇ ଚୁପ୍ ରହିବା ଶ୍ରେୟସ୍କର ମଣୁଛନ୍ତି।ବାକି ଅଳ୍ପ କିଛି ଲୋକ ଏହା ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି ଯାହାର ପ୍ରଭାବ ଭ୍ରଷ୍ଟାଚାରୀଙ୍କ ଉପରେ ପଡୁନାହିଁ କି ସାଧାରଣ ଜନତା,ସମାଜ, ସଂସ୍ଥା, ବ୍ୟବସ୍ଥା କାହାକୁ ବଦଳାଇ ପାରୁନାହିଁ। ଦୂଷିତ ବାୟୁ ମଣିଷର ରକ୍ତରେ ମିଶିଲେ ଯେମିତି କେବଳ ରକ୍ତକୁ ବିଷାକ୍ତ କରେନାହିଁ ତାହାରି ପ୍ରଭାବରେ ହୃତପିଣ୍ଡ , ଫୁସଫୁସ ଠାରୁ ଆରମ୍ଭ କରି ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ସଂକ୍ରମିତ ହେବା ସହିତ ଚର୍ମ , ଚକ୍ଷୁ ଭଳି ବାହ୍ୟ ଅଙ୍ଗକୁ ମଧ୍ୟ କ୍ଷତି ହୁଏ। ଠିକ୍ ସେମିତି ଦୁର୍ନୀତି କେବଳ ବ୍ୟକ୍ତିର ନୈତିକ ଅଧଃପତନ ଘଟାଏ ନାହିଁ ପରନ୍ତୁ ଦେଶର ଅର୍ଥନୀତି, ରାଜନୀତି,ସେବା କ୍ଷେତ୍ରକୁ ଘୋର ପ୍ରଭାବିତ କରେ। ଅନ୍ୟପକ୍ଷରେ ଏହାକୁ ରୋକିବା ପାଇଁ ଆମ ଦେଶରେ ଯେତେ ଆଇନ ଅଛି ବୋଧହୁଏ ଅନ୍ୟକୌଣସି ଦେଶରେ ଏତେ ସଂଖ୍ୟକ ଆଇନ ନଥିବ। ଦୁର୍ନୀତି ବନ୍ଦ କରିବା ପାଇଁ ଆମ ଦେଶରେ ତଥା ରାଜ୍ୟରେ ଅନେକ ଗୁଡାଏ ସ୍ଵତନ୍ତ୍ର ଏବଂ ସ୍ଵୟଂ ପରିଚାଳିତ ସଂସ୍ଥା ଅଛି।ଏହା ସତ୍ତ୍ଵେ ଭ୍ରଷ୍ଟାଚାର ତା’ବାଟରେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛି।ଦେଶର ଆଇନ କାନୁନ ତାଙ୍କ ବାଟରେ।ଆଉ ଜନତାଙ୍କ ସ୍ଥିତି ହେଲା ‘ମାରି ନେଲେ ମହାପାତ୍ରେ ଚାହିଁ ଥା’ରେ ଜଳକା ‘।

ଅନୈତିକ, ଅନୁଚିତ,ଅନାଚାର ଅବୈଧ ଉପାୟରେ ଅର୍ଥ ଉପାର୍ଜନ କରିବାକୁ ଭ୍ରଷ୍ଟାଚାର କୁହାଯାଏ। ହୋଇପାରେ ତାହା ଲାଞ୍ଚ ନେଇ କାମ କରିଦେବା କିମ୍ବା ଲାଞ୍ଚ ଦେଇ କାମ କରାଇବା, ନିର୍ବାଚନରେ ଟଙ୍କା ମଦ ମାଂସ ଦେଇ ଭୋଟ ନେବା ହେଉ ବା ଭୋଟ ଦେବା ହେଉ, କଳାବଜାରୀ କରିବା,ବ୍ଲାକମେଲିଂ କରିବା,ଟିକସ ଚୋରୀ, ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିବା, ପରୀକ୍ଷାରେ କପି କରିବା କିମ୍ବା କରିବାକୁ ସୁଯୋଗ ଦେବା, ନ୍ୟାୟ ବ୍ୟବସ୍ଥାରେ ପକ୍ଷପାତିତା ହେଉ ଏସମସ୍ତ ଅନ୍ୟାୟ ଅନୀତି ପୂର୍ଣ୍ଣ କାର୍ଯ୍ୟ ଭ୍ରଷ୍ଟାଚାର ପରିସରଭୁକ୍ତ। କିନ୍ତୁ ରାଜନୈତିକ ଭ୍ରଷ୍ଟାଚାର ହେଉଛି ମାଆ ଏମିବା ।ଏମିବା ଗୋଟିଏ ଏକ କୋଷୀ ପ୍ରାଣୀ ସତ, କିନ୍ତୁ ସେହି ଗୋଟିଏ କୋଷ ଭିତରେ ତା’ର ସମସ୍ତ ଜୈବିକ କ୍ରିୟା ସମ୍ପାଦିତ ହୁଏ ଏବଂ ଅନୁକୂଳ ପରିବେଶରେ ଗୋଟିଏ ମାଆ ଏମିବା ନିଜର କୋଷକୁ ବିଭାଜିତ କରି ଏକାଧିକ ଅପତ୍ୟ (ଶିଶୁ)ଏମିବା ଜନ୍ମ ଦିଏ । ଏପରିକି ପ୍ରତିକୂଳ ପରିବେଶରେ ନିଜ ଚତୁର୍ପାଶ୍ୱରେ ଏକ କୋଷ୍ଟିକା ତିଆରି କରି ବଞିରହେ ଏବଂ ଉପଯୁକ୍ତ ସମୟ ଆସିଲେ ନିଜର ବଂଶ ବିସ୍ତାରରେ ଲାଗିପଡେ। ସେମିତି ରାଜନୈତିକ ଭ୍ରଷ୍ଟାଚାରରୁ ଅନ୍ୟସମସ୍ତ ଭ୍ରଷ୍ଟାଚାରର ସୃଷ୍ଟି। ନିଜର ସୁରକ୍ଷା ପାଇଁ ପ୍ରଶାସନକୁ କୋଷ୍ଟିକା ଭାବରେ ବ୍ୟବହାର କରେ ଏବଂ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ସ୍ବାର୍ଥ ସାଧନ କରିଚାଲେ ।ଆମ ଦେଶରେ ଆଜିଯାଏଁ ଛୋଟ ବଡ଼ ଯେତେ ଦୁର୍ନୀତି ହୋଇଛି ସବୁଥିରେ ରାଜନୈତିକ ଗନ୍ଧ ବାରିହୁଏ।ମାରୁତି ଦୁର୍ନୀତି ଠାରୁ ଆରମ୍ଭ ହୋଇ,ଚାରା,ବୋଫର୍ସ,ହାବଲା,ସତ୍ୟମ,,ଆଇ ପି ଏଲ,ଟୁ-ଜି ସେକ୍ଟ୍ରମ, ଆଦର୍ଶ ହାଉସିଂ ବୋର୍ଡ,ରାଜ୍ୟଗୋଷ୍ଠୀ ଖେଳ,କୋଇଲା ଦୁର୍ନୀତି ସବୁଠି ରାଜନୈତିକ ସମ୍ପୃକ୍ତି ଅଥବା ପୃଷ୍ଠପୋଷକତା ନାହିଁ ବୋଲି ଆମେ କହି ପାରିବା ନାହିଁ। ସବୁ ରାଜ୍ୟରେ ମଧ୍ୟ ଏମିତି ବହୁ ଦୁର୍ନୀତିର କଥା ଶୁଣିବାକୁ ମିଳେ। ପ୍ରଶାସନ ସ୍ତରୀୟ ଭ୍ରଷ୍ଟାଚାର ସବୁ ସୀମା ଲଂଘନ କରିସାରିଲାଣି। ପ୍ରତିଦିନ କେହି ନା କେହି ଅଧିକାରୀଙ୍କ ଦୁର୍ନୀତିର ଫାଇଲ ଉନ୍ମୋଚିତ ହେବାରେ ଲାଗିଛି। ୨୦୦୫ମସିହାରେ ଇନଟରନ୍ୟାସନାଲ ଟ୍ରାନସପାରେନସି ରିପୋର୍ଟରୁ ଜଣା ଯାଏ ଦେଶରେ ଚାକିରି ପାଉଥିବା ୬୨ ପ୍ରତିଶତରୁ ଅଧିକ ଉତ୍କଚ ଦେଇ ଏ ସୁବିଧା ହାତେଇଛନ୍ତି। ୨୦୦୮ ମସିହାରେ ଆଊ ଏକ ରିପୋର୍ଟରେ କୁହାଯାଇଛି ୫୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକଙ୍କୁ କୌଣସି ଛୋଟ ବଡ଼ କାମ ହାସଲ କରିବା ପାଇଁ ସରକାରୀ ଦପ୍ତରରେ ଲାଞ୍ଚ ଦେବାକୁ ପଡିଥାଏ।ଏହାହିଁ ନୃତତ୍ତ୍ୱର ଏକ ଧର୍ମ ଯିଏ ଉତ୍କଚ ଦେଇ ଚାକିରି ପାଇବ ସେ ପାଇବା ପରେ ଉତ୍କଚ ନେବ।ଏ ଦେଶର ସବୁଠାରୁ କୌତୁହଳ କଥା ହେଉଛି ଉତ୍କଚ ଦେଇ ଚାକିରି, ଉତ୍କଚ ନେବାବେଳେ ଦୁର୍ନୀତି ବିଭାଗ ଦ୍ବାରା ଗିରଫ ପୁଣି ଉତ୍କଚ ଦେଇ ଖଲାସ୍। ଆହୁରି ବିକଳ ଚିତ୍ର ହେଲା ଦୁର୍ନୀତି କରି ଗିରଫ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇ ପ୍ରତିଶତରୁ କମ ଲୋକଙ୍କୁ ଦୋଷୀ ବୋଲି ପ୍ରମାଣିତ କରାଯାଇ ପାରୁଛି। ଏହି କୋହଳ ଆଇନ ବ୍ୟବସ୍ଥା ଭ୍ରଷ୍ଟାଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଛି ଏଥିରେ ସନ୍ଦେହ ନାହିଁ।

କିନ୍ତୁ ଖୋଲା ସତ୍ୟ ହେଲା ଅଧିକାଂଶ କ୍ଷେତ୍ରରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ହାତ ରାଜନୈତିକ ବ୍ୟକ୍ତିମାନଙ୍କର ରହୁଛି ।ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରର ଗର୍ଭଦ୍ଵାରନିର୍ବାଚନ ସବୁ ଭ୍ରଷ୍ଟାଚାରର ଏନ୍ତୁଡ଼ିଶାଳ। ଯେଉଁ ଢଙ୍ଗରେ ନିର୍ବାଚନ ହେଉଛି ଏବଂ ଯେଉଁ ପରିମାଣରେ ଅର୍ଥ ବ୍ୟୟ ହେଉଛି ତାକୁ କିଏ କରୁଛି, କେମିତି କରୁଛି,କାହିଁକି କରୁଛି ତାର ଉତ୍ତର ସମସ୍ତେ ଜାଣନ୍ତି। ସାଧାରଣ ଲୋକଟି ପକ୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କଣ ସମ୍ଭବ? ବିଧାୟକ ହେବା ପାଇଁ ହେଲେ ଅତିକମରେ ଦୁଇ ତିନି କୋଟି ଟଙ୍କା ଯୋଗାଡ କରିବାକୁ ପଡ଼ିବ । ଲୋକସଭା ନିର୍ବାଚନର ବୈତରଣୀ ପାରି ହେବାକୁ ହେଲେ ଦଶ ବାର କୋଟି ଟଙ୍କା ଖର୍ଚ୍ଚ କରିପାରୁଥିବା ଆବଶ୍ୟକ। ସତୁରୀ ଭାଗରୁ ଅଧିକ ଲୋକଙ୍କୁ ଯେଉଁ ଦେଶରେ ମାଗଣା ଚାଉଳ ଯୋଗାଇବାକୁ ପଡେ ସେମାନଙ୍କ ଭିତରୁ କେହି ଏ ମାପକାଠି ଛୁଇଁ ପାରିବେନି ଏହା ସୁନିଶ୍ଚିତ। ଯେଉଁମାନେ ଏ ଦେଶର ସରକାରୀ ଚାକିରି କରନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ଚାକିରି କାଳର ଦରମାକୁ ଯଦି ହିସାବ କରାଯାଏ ତେବେ ଏତେ ବଡଧରଣର ଅଙ୍କ ପାଖକୁ ଯିବା ଏମାନଙ୍କ ପାଇଁ ଦିବା ସ୍ଵପ୍ନ ନିଶ୍ଚୟ। ତେବେ ପ୍ରଶ୍ନ ହେଲା ଯେଉଁମାନେ ନିର୍ବାଚନରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେମାନଙ୍କ ମାସିକ ଆୟ କେତେ ଏବଂ ଆୟର ଉତ୍ସ କ’ଣ? ଅବଶ୍ୟ ନିର୍ବାଚିତ ଅଧିକାଂଶ ବିଧାୟକ ଓ ସାଂସଦ କୋଟି ପତି । କିନ୍ତୁ ସେମାନେ ପ୍ରାର୍ଥୀ ପତ୍ର ଦାଖଲ କଲାବେଳେ ଯେଉଁ ସମ୍ପତ୍ତି ତାଲିକା ଦିଅନ୍ତି ଯଦି ତାକୁ ଭଲକରି ଯାଞ୍ଚ କରାଯିବ ଦେଖାଯିବ ଅଧିକାଂଶ ପ୍ରାର୍ଥୀ ନିର୍ବାଚନରେ ଯାହା ଖର୍ଚ୍ଚ କରନ୍ତି ତାହା ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଠାରୁ ଢେର ବେଶୀ। ତେବେ ଏତେ ଟଙ୍କା ଆସୁଛି କୁଆଡୁ?ନୋଟ ନିଅ ଭୋଟ ଦିଅର ନାରା ଆଉ ଲୁଚାଛପା ହୋଇ ରହିନାହିଁ।ଏଭଳି ସ୍ଥଳେ ଏତେ ଅର୍ଥ ଚାନ୍ଦା ଦେଉଛି କିଏ ଏବଂ କେଉଁ ସ୍ଵାର୍ଥରେ ଦେଉଛି? ଯେଉଁମାନେ ଏତେ ଗୁଡ଼ାଏ ଟଙ୍କା ଦେଉଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଅସୁଲ କରିବାକୁ ଚାହିଁବେ ହିଁ ଚାହିଁବେ । ତାପରେ ସେଇଠୁ ଆରମ୍ଭ ହୁଏ ଲାଞ୍ଚ ନେବା, କଳାବଜାରୀ କରିବା,ଟିକସ ଫାଙ୍କି ଦେବା,ଟିକସ ଛାଡ଼ିଦେବା ଇତ୍ୟାଦି ଭ୍ରଷ୍ଟାଚାରର ଜୟଯାତ୍ରା। ସତରେ ରାଜନୀତି ଏବେ ଏକ ବିନିଯୋଗ କ୍ଷେତ୍ରରେ ପରିଣତ ହୋଇଛି। ଅର୍ଥ ବିନିଯୋଗ କରି କ୍ଷମତା ହାସଲ କରିବା ତାପରେ ବିନିଯୋଗ ଅର୍ଥର ଦଶ ଗୁଣ ଉଠାଇବା ରାଜନୈତିକ ତତ୍ତ୍ଵ ପାଲଟି ଗଲାଣି।ଆଉ ଯେଉଁମାନେ ଆଦର୍ଶକୁ ମୂଳଧନ କରି ରାଜନୀତି କରୁଛନ୍ତି ସେମାନଙ୍କ ବିଜୟ ସମ୍ଭାବନା ମଧ୍ୟ କ୍ଷୀଣ।

ଭ୍ରଷ୍ଟାଚାରର ମହାମାରୀ ଆମ ଦେଶରେ ଯେମିତି ଦ୍ରୁତ ଗତିରେ ବ୍ୟାପୁଛି ମନେହେଉଛି ଦିନ ଆସିବ ନୀତି, ଆଦର୍ଶ, ସତ୍ୟ, ନ୍ୟାୟ ପଥରେ ଯିଏ ଚାଲିବ ସିଏ ସବୁଥିରୁ ବଞ୍ଚିତ ହେବ । ଯୋଗ୍ୟତା ଥାଇ ଅଯୋଗ୍ୟ ଘୋଷିତ ହେବ। ତଥାପି ସମସ୍ତେ ବୁଝି ଅବୁଝା। ନିଜର ସ୍ଵାର୍ଥ ଓ ସୁବିଧା ହାତେଇବା ପାଇଁ ସୁବିଧାବାଦୀ ଚରିତ୍ରରେ ରହୁଛନ୍ତି ଲୋକମାନେ।ବାହାରେ ଭ୍ରଷ୍ଟାଚାର ବିରୋଧରେ କହୁଛନ୍ତି କିନ୍ତୁ ଭିତରେ ଭ୍ରଷ୍ଟାଚାରର ଅଂଶୀଦାର ସାଜୁଛନ୍ତି। ଲାଞ୍ଚ ଦେଇ କୌଣସି ପ୍ରକାରେ କାମ ହାସଲ କରି ନେବାକୁ ଚାହୁଁଛନ୍ତି। ହଁ,ଏହା ମଧ୍ୟ ସତ୍ୟ ଏମିତି ପରିସ୍ଥିତି ଓ ପରିବେଶ ସୃଷ୍ଟି କରାଯାଉଛି ଯେମିତି ସାଧାରଣ ଲୋକଟି ବାଧ୍ୟ ହେବ ଲାଞ୍ଚ ଦେବାକୁ।ଏହା ସତ୍ତ୍ଵେ ଯେଉଁ ଦିନ ଲୋକେ ଭ୍ରଷ୍ଟାଚାର କରିବେ ନାହିଁ କି କରିବାକୁ ଦେବେ ନାହିଁ ସେହି ଦିନ ଅନେକାଂଶରେ ଏହା କମିଯିବ ନିଶ୍ଚୟ।

ସମ୍ପ୍ରତି ଆମ ଦେଶରେ ଏକ ବ୍ୟତିକ୍ରମ ଦୃଷ୍ଟିଗୋଚର ହେଉଛି। ଭ୍ରଷ୍ଟାଚାର ବିରୋଧରେ କହିବା ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେବା। ବିଶେଷ କରି ରାଜନୀତି କ୍ଷେତ୍ରରେ ଏହା ସର୍ବାଧିକ ଦେଖିବାକୁ ମିଳୁଛି। ଯଦି କେହି ରାଜନୈତିକ ବ୍ୟକ୍ତି ବିରୋଧରେ ଭ୍ରଷ୍ଟାଚାରର ସଙ୍ଗୀନ ଅଭିଯୋଗ ଉଠିଲା,ଜନ ଅସନ୍ତୋଷ ଦେଖାଦେଲା,ଅନ୍ଯ ରାଜନୈତିକ ଦଳମାନେ ହୋଇହୋଲ୍ଲା କଲେ , ଗଣମାଧ୍ୟମ ଗୁଡିକ ଲେଖାଲେଖି କଲେ, ଗିରଫ ହେବାର ସମ୍ଭାବନା ଉପୁଜିଲା ତେବେ ଅନିଚ୍ଛା ସତ୍ତ୍ଵେ ବଦନାମିରୁ ରକ୍ଷା ପାଇବା ପାଇଁ ଦଳ ସେହି ବ୍ୟକ୍ତିକୁ ବହିଷ୍କାର କରୁଛି।ଅଥଚ ଯେଉଁ ରାଜନୈତିକ ଦଳମାନେ ଦୁର୍ନୀତି କଥା କହି ଏକଦା ତୀବ୍ର ସମାଲୋଚନା କରୁଥିଲେ ସୁଯୋଗ ଆସିଲେ ସେହି ଭ୍ରଷ୍ଟାଚାରୀଙ୍କ ଗଳାରେ ଓଜୋନିଆ ଫୁଲମାଳ ପକାଇ ନିଜ ଦଳକୁ ପାଛୋଟି ନେବା ପାଇଁ ବ୍ୟଗ୍ର ହୋଇ ଉଠୁଛନ୍ତି। କେତେକ ସ୍ଥାନରେ ଭ୍ରଷ୍ଟାଚାରୀଙ୍କ ପାଇଁ ଫାଟକ ବନ୍ଦ କରିଦେଇ ବୁଝାମଣା ଭିତ୍ତିରେ ତାଙ୍କ ସ୍ତ୍ରୀ ଅଥବା ପୁତ୍ର କିମ୍ବା କନ୍ୟାଙ୍କ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଉଛି।ଲୁଗା ଧୁଆ ମେସିନରେ ମଇଳା ଲୁଗା ସଫା କରିବା ସିନା ସମ୍ଭବ, କିନ୍ତୁ ଭ୍ରଷ୍ଟାଚାରୀଙ୍କ ଦେହରେ ଯେଉଁ ମଇଳା ଲାଗିଥାଏ ତାହା ଯଦି ଦଳବଦଳ ମାଧ୍ୟମରେ ଛଡେଇ ହୁଅନ୍ତା ତେବେ ହୁଏତ ଦେଶରେ ଭ୍ରଷ୍ଟାଚାରର ବେମାରୀ ଆଉ ନଥାନ୍ତା। କାହିଁକି ନା ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେବାର ଚିଠା ଏଠାରେ ବହୁତ ଲମ୍ବା।ସତ କହିବାକୁ ଗଲେ ଭ୍ରଷ୍ଟାଚାରୀଙ୍କୁ କୋଳେଇ ନେଇ ଯଦି ଭ୍ରଷ୍ଟାଚାରର ବିଲୋପ କଥା କୁହାଯାଏ ତେବେ ଏହା କୁମ୍ଭୀର କାନ୍ଦଣା ଛଡ଼ା ଆଊ କିଛି ନୁହେଁ। ଏହି ଛଳନାପୂର୍ଣ୍ଣ କ୍ରନ୍ଦନ ବନ୍ଦ ହେବ ଯେଉଁ ଦିନ ଜନତା ଜାଗିବେ।କେବଳ ଜନତାଙ୍କ ଜାଗରଣ ଓ ଜନାଦେଶ ଭ୍ରଷ୍ଟାଚାରୀଙ୍କ ଭଣ୍ଡାମୀକୁ ଭ୍ରଷ୍ଟ କରିପାରିବ ଏଥିରେ ସନ୍ଦେହ ନାହିଁ।


ପ୍ରାକ୍ତନଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା

୭୦୦୮୦୭୩୫୯୯


Comments


bottom of page