ସାଂସଦଙ୍କ ସହାୟତା ଲୋଡିଲା ଇପିଏଫ ପେନସନର୍ସ ସଂଘ
- Sanjog
- Jul 14, 2023
- 2 min read

କଟକ,ଜୁଲାଇ୧୪(ସଂଯୋଗ ମିଡିଆ) : ରାଜ୍ୟର ୨ ଲକ୍ଷ ଇପିଏଫ ପେନସନଭୋଗୀ ପରିବାରର ସମସ୍ୟାକୁ ନେଇ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ରାଜ୍ୟର ସମସ୍ତ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ।
ଏ ସମ୍ପର୍କରେ ସର୍ବ ଭାରତୀୟ ସଂଘର ଉପସଭାପତି ତଥା ରାଜ୍ୟ ଆସୋସିଏସନର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା କହିଛନ୍ତି ଯେ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା, ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା, ଦେଶର ସମସ୍ତ ବରିଷ୍ଠ ନାଗରିକଙ୍କୁ ପୂର୍ବ ଭଳି ରେଳ ଯାତ୍ରାରେ ରିହାତି ବ୍ୟବସ୍ଥା ଏବଂ ସମସ୍ତ ଇପିଏଫ ପେନସନଭୋଗୀ ପରିବାରକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ୱାସ୍ଥ୍ୟ ବୀମା ଲାଗୁ କରିବା ଦାବିରେ ଦୀର୍ଘ ୫ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହାସତ୍ତ୍ୱେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ମୌଳିକ ସମସ୍ୟାକୁ ଅଣଦେଖା କରି ଆସୁଛନ୍ତି । ତେବେ ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଶାର ୧୭ ଜଣ ସାଂସଦ ଦେଶର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ଏହି ବରିଷ୍ଠ ନାଗରିକ ତଥା ପେନସନଭୋଗୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି । ନିକଟରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ଦାବିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଲାଗି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟଯେ ଚଳିତ ମାସ ୨୦ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏଣୁ ଉପରୋକ୍ତ ଦାବି ସମ୍ପର୍କରେ ଦେଶର ସମସ୍ତ ସାଂସଦଙ୍କୁ ଅବଗତ କରିବା ସହ ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ସଂଘ ପକ୍ଷରୁ ଭୋପାଳ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ପରୀପ୍ରେକ୍ଷୀରେ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ୩୦ଟି ଜିଲ୍ଲା ସଙ୍ଗଠନ ପକ୍ଷରୁ ସେମାନଙ୍କ ଅଞ୍ଚଳର ସାଂସଦମାନଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିବା ଓ ପାର୍ଲାମେଣ୍ଟ ବୈଠକରେ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରାଯାଉଛି ।
ଶ୍ରୀ ବ୍ରହ୍ମା କହିଛନ୍ତି ଯେ ସମଗ୍ର ଦେଶରେ ୭୫ ଲକ୍ଷ ଓ ଆମରାଜ୍ୟ ଓଡିଶାରେ ୨ ଲକ୍ଷ ଇପିଏଫ ପେନସନ ଭୋଗୀଙ୍କ ମଧ୍ୟରୁ ଅଧିକାଂଶ ମାସିକ ସର୍ବନିମ୍ନ ୧ ହଜାରରୁ କମ ପେନସନ ପାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ସମ୍ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିରେ ଏହି ଇପିଏଫ ପେନସନଭୋଗୀଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । ଏଣୁ ସାରା ଦେଶରେ ଥିବା ଇପିଏଫ ପେନସନଭୋଗୀଙ୍କ ମଧ୍ୟରେ ଥିବା ପୁଞ୍ଜିଭୁତ ଅସନ୍ତୋଷ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବାର ଆଶଙ୍କା ରହିଛି । ଏଥିପ୍ରତି ଗୁରୁତ୍ୱ ଦେଇ ଓଡିଶାର ସମସ୍ତ ସାଂସଦ ଦୀର୍ଘଦିନରୁ ଇପିଏଫ ପେନସନ ଭୋଗୀଙ୍କ ପକ୍ଷରୁ ହେଉଥିବା ଦାବି ପୂରଣ ଦିଗରେ ସହାୟତା କରିବାକୁ ଶ୍ରୀ ବ୍ରହ୍ମା ନିବେଦନ କରିଛନ୍ତି ।
Comments