ସମ୍ପର୍କ ସଂକଟର ସମ୍ମୁଖୀନ
- Sanjog
- Feb 18, 2023
- 4 min read

ଅକ୍ଷୟ କୁମାର ମିଶ୍ର
ସମଗ୍ର ବିଶ୍ଵରେ ମାନବ ଯେ ସର୍ବଶ୍ରେଷ୍ଠ ଏଥିରେ ଦ୍ଵିମତ ନାହିଁ । ଏମାନଙ୍କର ବୁଦ୍ଧି ଅଛି ବିବେକ ଅଛି । ଅଛି ବିଚାର ଶକ୍ତି । ଏମାନେ ଭଲମନ୍ଦ ଜାଣି ପାରନ୍ତି । ଅତୀତକୁ ମନେ ରଖନ୍ତି । ପୁଣି ଏହାର ସ୍ମୃତି ଚାରଣ କରନ୍ତି । ବର୍ତ୍ତମାନକୁ ଉପଯୋଗ କରିପାରନ୍ତି । ଭବିଷ୍ୟତ ସମ୍ପର୍କରେ ଚିନ୍ତା କରି ନିଜର ଯୋଜନା ପ୍ରସ୍ତୁତ କରିପାରନ୍ତି । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଯୋଡ଼ି ରଖିବା ପାଇଁ ଜୀବନର ଚଲାପଥରେ ମଣିଷମାନେ ଅନେକଙ୍କ ସଂସ୍ପର୍ଶରେ ଆସନ୍ତି । ସେଇଠୁ ଗଢି ଉଠେ ସମ୍ପର୍କ ।କାଳକ୍ରମେ କିଛି ସମ୍ପର୍କର ଗୋଲାପ ଗୋଟିଏ ଗୋଟିଏ ବୃକ୍ଷରେ ଶୋଭା ପାଇ ଏକ ପରିବାର ନାମରେ ନାମିତ ହୁଅନ୍ତି । କିଛି ପରିବାରକୁ ନେଇ ଗଢି ଉଠେ ଜନବସତି।ତା'ପରେ ଗଢା ହୁଏ ସମାଜ । ମଣିଷ ସମାଜ । ଏହି ସମାଜ ଉପରେ ମଣିଷ ସମ୍ପୂର୍ଣ୍ଣ ନିର୍ଭରଶୀଳ ପାଲଟିଯାଏ । ସଭ୍ୟତା ଯେତେ ଆଗକୁ ବଢ଼େ ନିର୍ଭରଶୀଳତା ସେତେ ବୃଦ୍ଧିପାଏ । ସେଥିପାଇଁ ମଣିଷକୁ ଏକ ସାମାଜିକ ପ୍ରାଣୀ ବୋଲି କୁହାଯାଏ । ପଶୁ, ପକ୍ଷୀ,କୀଟ, ପତଙ୍ଗ ଏମାନଙ୍କର ସମାଜ ନାହିଁ । ପରିବାର ବୋଲି କିଛି ନାହିଁ । ଏମାନଙ୍କ ନିକଟରେ ସମ୍ପର୍କ ଅର୍ଥହୀନ । ସେମାନେ କାହା ଉପରେ ନିର୍ଭର କରନ୍ତି ନାହିଁ ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ସ୍ୱାବଲମ୍ବୀ ସତ କିନ୍ତୁ ସଭ୍ୟ ନୁହଁନ୍ତି ।
ସମ୍ପର୍କ ଶାଶ୍ଵତ ହୁଏ ଯେତେବେଳେ ସ୍ନେହ, ପ୍ରେମ, ମମତା ମଧୁମୟ ହୁଏ । ସମ୍ପର୍କ ନିବିଡ଼ ହୁଏ ଯେତେବେଳେ ମନ ନିର୍ମଳ ରହେ ।ସମ୍ପର୍କ ଦୀର୍ଘଜୀବୀ ହୁଏ ଯେତେବେଳେ ସ୍ୱାର୍ଥପରତାର ରାକ୍ଷସ ମନକୁ କବଳିତ କରିପାରେ ନାହିଁ ।ସମ୍ପର୍କ ଅତୁଟ ରହେ ଯେତେବେଳେ ନେବା ଦେବାର ସଂକୀର୍ଣ୍ଣ ଲୌକିକତା ମଣିଷକୁ ଗ୍ରାସ କରିପାରେନାହିଁ । ମାନବତାର ନିର୍ଝରଣୀ ସମ୍ପର୍କର ଗୋଲାପକୁ ସତେଜ ରଖେ।ଅପରପକ୍ଷେ ଏହି ମାନବତା ଯେତେବେଳେ ମରିଯାଏ ସମ୍ପର୍କର ଗୋଲାପଟି ମଧ୍ୟ ମଉଳିଯାଏ । ସମ୍ପ୍ରତି ସମାଜରେ ତାହା ହିଁ ଘଟୁଛି ।ସବୁ ସମ୍ପର୍କ ସଂକଟର ସମ୍ମୁଖୀନ । ଅମାନବୀୟ ଅସୁରୀୟ ପ୍ରବୃତ୍ତି ସମ୍ପର୍କର ଗୋଲାପକୁ ପାଦରେ ଦଳି ମକଚି ନଷ୍ଟ କରିଦେଉଛି ।ସ୍ୱାର୍ଥପରତା ସମ୍ପର୍କର ସବୁରଙ୍ଗକୁ କେମିତି ନିଷ୍ପ୍ରଭ କରି ସାରିଲାଣି ଆସନ୍ତୁ ଆଲୋଚନା କରିବା ।
ପ୍ରଥମେ ଆଲୋଚନା ଆରମ୍ଭ କରିବା ସାମାଜିକ ସଂଗଠନର ଆଦ୍ୟଭୂମି ପରିବାର ପାଖରୁ ଯେଉଁଠି ପରସ୍ପର ମଧ୍ୟରେ ଥାଏ ରକ୍ତର ସମ୍ପର୍କ । ବାପା-ମାଆ-ପୁଅ-ଝିଅ, ଭାଇ ଭଉଣୀ, ସ୍ଵାମୀ ସ୍ତ୍ରୀ, କାକା ପୁତୁରା, ଜେଜେ-ଜେଜେମାଆ-ନାତି-ନାତୁଣୀର ଅଛିଣ୍ଡା ସମ୍ପର୍କ ଘରକୁ ସ୍ଵର୍ଗରେ ପରିଣତ କରେ । କିନ୍ତୁ ଏହି ସବୁ ସମ୍ପର୍କ ଆଜି କେତେ ନିବିଡ଼ ଦୈନନ୍ଦିନ ଘଟି ଚାଲିଥିବା ଘଟଣାବଳୀକୁ ଦେଖିଲେ ଅନୁଭବ କରିହୁଏ।ଅଧିକାଂଶ ପରିବାରରେ ବାର୍ଦ୍ଧକ୍ୟ ଏକ ଅଭିଶାପ ପାଲଟି ଗଲାଣି ।ବୁଢ଼ା ବାପାମାଆଙ୍କୁ ବୃଦ୍ଧାଶ୍ରମକୁ ପଠାଇ ଦେଇ ପୁଅ ଆଶ୍ଵସ୍ତିରେ ରହୁଥିବା ଖବର ଚର୍ଚ୍ଚାର ଶିରୋନାମାରେ ଦେଖିବାକୁ ମିଳୁଛି । ଖାଲି ଏତିକିରେ ସୀମିତ ନୁହେଁ ।କିଛି କିଛି କ୍ଷେତ୍ରରେ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ପୁଅ ପିତାମାତାଙ୍କୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ମଧ୍ୟ ଘଟୁଛି । ଅପରପକ୍ଷେ ମାଆ ଓ ଛୁଆର ଅମୃତ ସମ୍ପର୍କ ମଧ୍ୟ ବହୁ କ୍ଷେତ୍ରରେ ବିଷମୟ ପାଲଟି ଯାଇଛି । କେବେ କାଳେ ଶୁଣାଯାଇନଥିବା କଥା ଏବେ ଶୁଣିବାକୁ ମିଳୁଛି । କେଉଁଠି ମାଆପୁଅକୁ ବିଷ ଦେଇ ମାରିବା, କେଉଁଠି ମାଆ ଝିଅକୁ କୂଅରେ ପକାଇବା, କେଉଁଠି ସବୁ ସମ୍ପର୍କର ବନ୍ଧନକୁ ଛିନ୍ନ କରି ଏକାଧିକ ସନ୍ତାନ ସନ୍ତତିକୁ ଛାଡି ପରପୁରୁଷ ସହିତ ପଳାଇବାର ଅତ୍ୟନ୍ତ ବେଦନାଦାୟକ ଖବର ମଣିଷ ସମାଜକୁ ହତବାକ କରି ଦେଉଛି।ଆଉ ସ୍ଵାମୀ ସ୍ତ୍ରୀର ସମ୍ପର୍କ କୋର୍ଟର କାଠଗଡ଼ା ପର୍ଯ୍ୟନ୍ତ ଯିବା ଓ ବିବାହ ବିଚ୍ଛେଦରେ ମୋହର ଲଗାଇ ସାଥିରେ ଚାଲିବାର ଶପଥକୁ ଭାଙ୍ଗିବା ଏକ ସାଧାରଣ କଥା ବୋଲି ବିବେଚିତ ହେଉଛି ।ଏମିତିକି ବେଳେ ବେଳେ ଏହି ସମ୍ପର୍କ ଏତେ ତିକ୍ତ ହୋଇ ଉଠୁଛି ଯେ ମଣିଷ ନାରକୀୟ ହତ୍ୟାକାଣ୍ଡ ଭିଆଇବାକୁ ପଶ୍ଚାତପଦ ହେଉନାହିଁ । କେଉଁଠି ସ୍ଵାମୀ ସ୍ତ୍ରୀକୂ ହତ୍ୟାକରି ମୃତ ଦେହକୁ ବିଭତ୍ସ ଭାବରେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଉଛି ।ପୁଣି କେଉଁଠି ପରକୀୟା ପ୍ରେମିକର ପ୍ରରୋଚନାରେ ସ୍ତ୍ରୀ ସ୍ଵାମୀକୁ ହତ୍ୟା କରୁଛି ।ଏକା ମାଆପେଟରୁ ଜନ୍ମ ଗ୍ରହଣ କରିଥିବା ଭାଇ ଭାଇ ଭିତରେ ସମ୍ପତ୍ତିର ଭାଗବଣ୍ଟାକୁ ନେଇ ପାଚେରୀ ଉଠିବା ସଚରାଚର ହୋଇଗଲାଣି ।ଏମିତିକି ଭାଇ ଭାଇର ରକ୍ତରେ ହୋଲି ଖେଳିବାକୁ କୁଣ୍ଠାବୋଧ କରୁନାହିଁ ।ପରିବାର ଭିତରେ ଯଦି ସବୁ ସମ୍ପର୍କ ସୀମାହୀନ ସମସ୍ୟାର ସମ୍ମୁଖୀନ ହୁଏ ତେବେ ଏହା ଯେ ସମାଜର ସଂଜ୍ଞାକୁ ବଦଳାଇ ଦେବ ଏଥିରେ ସନ୍ଦେହ ନାହିଁ । ପରିବାର ପରେ ମଣିଷ ଯେଉଁଠି ନିଜ ଭାବନାକୁ ପରି ପ୍ରକାଶ କରେ ତାହାହେଲା ତାର ପଡୋଶୀ । ପଡୋଶୀ ସହିତ ସୁଖବାଣ୍ଟି ମଣିଷ ଆତ୍ମସନ୍ତୋଷ ଲାଭ କରେ, ନିଜର ଦୁଃଖ କଥା କହିଟିକିଏ ହାଲୁକା ହବାକୁ ପ୍ରୟାସ କରେ ।କିନ୍ତୁ ଆଜି ମଣିଷ ପଡୋଶୀକୁ ଶତ୍ରୁ ଭାବରେ ବିଚାର କରୁଛି । ସେମାନଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁନାହିଁ ।ବିପଦ ଆପଦରେ ଛିଡା ହେବା ତ ଦୂରର କଥା ପଡିଶା ଘରେ ବିପଦ ପଡ଼ିବା ଶୁଣିଲେ ନିଜ ଘରର କବାଟ ବନ୍ଦ କରିଦେବାକୁ ଉଚିତ ମଣୁଛି ।ମଣିଷ ଭିତରେ ଈର୍ଷା, ଅସହିଷ୍ଣୁତା, ଅସୂୟା ଏତେ ପରିମାଣରେ ବଢ଼ିଯାଇଛି ଯେ କାହାର ଭଲ ଚିନ୍ତା କରିବା ପରିବର୍ତ୍ତେ ମନ୍ଦ ପାଞ୍ଚୁଛି ।ସାଧାରଣତଃ ସହରାଞ୍ଚଳରେ ପଡୋଶୀ ସହିତ କେହି ସମ୍ପର୍କ ରଖିବାକୁ ଚାହୁଁନଥିଲେ ।ଏହି ରୋଗଟି ଏବେ ଗ୍ରାମାଞ୍ଚଳକୁ ମଧ୍ୟ ସଂକ୍ରମିତ ହେବାକୁ ଆରମ୍ଭ କଲାଣି । ସମ୍ପର୍କ ସଜାଡେ ସାମାଜିକ ସଂଗଠନ । ସମ୍ପର୍କ ତୁଟିଗଲେ ଏହା କେମିତି ବିପନ୍ନ ହୁଏ ତା'ର ଉଦାହରଣ ଆଜି ଦେଖିବାକୁ ମିଳୁଛି।
ପରିବାର ଓ ପଡ଼ୋଶୀକୁ ଛାଡିଦେଲେ ମଣିଷ ମଣିଷ ଭିତରେ ଗଢ଼ି ଉଠିଥିବା ତୃତୀୟ ସମ୍ପର୍କଟି ହେଲା ବିବାହ ବନ୍ଧନରୁ ଜାତ ସମ୍ପର୍କ ,ଯଥା- ଶଳା-ଭିଣେଇ, ମାମୁଁ-ଭଣଜା, ପିଉସା-ପିଉସୀ, ମଉସା-ମାଉସୀ ,ଅଜା-ଆଈ ଇତ୍ୟାଦି। ଏସବୁ ସମ୍ପର୍କରେ ମଧ୍ୟ ଆଉ ଆବେଗ ନାହିଁ । ପରସ୍ପର ମଧ୍ୟରେ ଥିବା ଆକର୍ଷଣ କମିଯାଇଛି ।ଯେତେବେଳେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ନ ଥିଲା ଲୋକେ ସେତେବେଳେ ପାଦରେ ଚାଲି ଚାଲି ବନ୍ଧୁ ରକ୍ଷା କରୁଥିଲେ । ଭଲମନ୍ଦ ଜାଣିବା ପାଇଁ ଚିଠିକୁ ଅପେକ୍ଷା କରୁଥିଲେ । ହେଲେ ଆବେଗ ଥିଲା।ଏବେ ମୋବାଇଲ ଜରିଆରେ କଥା ହେଉଛନ୍ତି । ଦୈନିକ ଖବର କ'ଣ ପଚାରି ବୁଝୁଛନ୍ତି । ହେଲେ ଆନ୍ତରିକତା କାହିଁ ? ସମସ୍ତଙ୍କ ନିକଟରେ ସମୟ ଅଭାବ । ବନ୍ଧୁ ଘରେ ଉତ୍ସବ ଆୟୋଜନ ହେଲେ ସବୁ ବନ୍ଧୁ ବାନ୍ଧବ ଏକାଠି ହେଉଥିଲେ ।ଦୁଇ ଚାରିଦିନ ରହି ସବୁକାମ ନିଜର ଭାବି ଦେଖାଶୁଣା କରୁଥିଲେ । ଆଜି ସେ ସହଯୋଗ ନାହିଁ ।ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ବନ୍ଧୁ ବାନ୍ଧବଙ୍କୁ ସାହାଯ୍ୟ କରିବାର ମାନସିକତା ନାହିଁ ।
ଏ ସମସ୍ତ ସମ୍ପର୍କ ବ୍ୟତୀତ ଆହୁରି ଅନେକ ସମ୍ପର୍କ ଆମ ସାମାଜିକ ବ୍ୟବସ୍ଥା ଭିତରେ ଜୀବନର ଚଲାପଥରେ ଗଢିଉଠେ ।ସେମିତି ଏକ ପବିତ୍ର ସମ୍ପର୍କ ହେଲା ଗୁରୁଶିଷ୍ୟ ପରବର୍ତ୍ତୀ ସମୟରେ ଶିକ୍ଷକ ଶିକ୍ଷାର୍ଥୀ ମଧ୍ୟରେ ସମ୍ପର୍କ ।ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହାର ଅନେକ ଉଦାହରଣ କାହାଣୀରୂ ପରେ ଆମେ ଜାଣିଛନ୍ତି । ଇତିହାସ ପୃଷ୍ଠାରେ ଶିବାଜୀ ରାମ ଦାସ, ବିବେକାନନ୍ଦ ରାମକୃଷ୍ଣ, ସୁଭାଷ ବୋଷ ବେଣୁ ମାଧବ ଏମିତି ବହୁ ଉଦାହରଣ ଅଛି ଯାହା ଶିକ୍ଷକ ଛାତ୍ର ସମ୍ପର୍କକୁ ମହନୀୟ କରିଥିଲା ।ସମୟ ବଦଳିବା ସାଙ୍ଗକୁ ସମ୍ପର୍କର ସଂଜ୍ଞା ବଦଳି ଯାଇଛି । ଗୁରୁଶିଷ୍ୟର ପରମ୍ପରା ଲୁପ୍ତ ପ୍ରାୟ । ଶିକ୍ଷକଙ୍କୁ ଆଉ ପଥପ୍ରଦର୍ଶକ ଭାବରେ ଲୋକେ ଗ୍ରହଣ କରିବାକୁ କୁଣ୍ଠିତ ।ଜାତିର ନିର୍ମାତା ଭାବେ ଶିକ୍ଷକଙ୍କୁ ବିଚାର କରାଯାଉନାହିଁ । ସରକାର ଏମାନଙ୍କୁ ବେତନ ଭୋଗୀ କର୍ମଚାରୀ ଭାବରେ ଦେଖୁଛନ୍ତି ।ଶିକ୍ଷକମାନେ ମଧ୍ୟ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଠାରୁ ଅପସରି ଯାଉଛନ୍ତି ।ଛାତ୍ରଛାତ୍ରୀଙ୍କୁ ଯେମିତି ନିଜ ସନ୍ତାନ ସନ୍ତତି ମନେ କରି ନିଃସ୍ଵାର୍ଥପର ଭାବେ ସେମାନଙ୍କ ଭବିଷ୍ୟତ ଗଠନ କରିବାରେ ବ୍ରତୀ ହେବା କଥା ତାହା ଯେ ସେମାନେ ନିଷ୍ଠାର ସହିତ କରୁଛନ୍ତି ଏକଥା କୁହାଯାଇପାରିବ ନାହିଁ । ଆଉ ଶିଶୁମାନଙ୍କ ଶାରିରୀକ, ମାନସିକ ତଥା ବୌଦ୍ଧିକ ବିକାଶ ତାର ଚତୁଃପାର୍ଶ୍ଵରେ ଥିବା ପରିବେଶ, ପରିସ୍ଥିତି,ପରିବାର ଓ ପରିଚାଳନା ଉପରେ ନିର୍ଭରଶୀଳ । ବିଶେଷ କରି ବଡ଼ମାନେ ଯାହାକରନ୍ତି ସେଇଥିରୁ ସେ ଶିକ୍ଷାଲାଭ କରେ।ଫଳରେ ଶିକ୍ଷକଙ୍କ ପ୍ରତି ସେମାନଙ୍କର ଦୃଷ୍ଟିଭଙ୍ଗୀ କ୍ରମେ ବଦଳିବାରେ ଲାଗିଛି । ସମ୍ପର୍କର ପବିତ୍ରତା ନଷ୍ଟ ହେବାରେ ଲାଗିଛି ।
ସେମିତି ଏକ ବିଶେଷ ମୁହୂର୍ତ୍ତରେ ଦୁଇଟି ଯୁବକ ଯୁବତୀ ମଧ୍ୟରେ ଏକ ପ୍ରକାର ସମ୍ପର୍କ ଗଢ଼ି ଉଠିବା ଦେଖାଯାଏ । ସେହି ସମ୍ପର୍କରୁ ସୃଷ୍ଟି ହୁଏ ଭଲପାଇବା । ଦୁଇଟି ହୃଦୟର ମହାମିଳନରେ ଆରମ୍ଭ ହୁଏ ପ୍ରେମ । ପ୍ରେମ ସର୍ବଦା ଉତ୍ସର୍ଗୀକୃତ ।ସମ୍ପ୍ରତି ଅନେକ କ୍ଷେତ୍ରରେ ପବିତ୍ର ପ୍ରେମ ପରିବର୍ତ୍ତେ ପ୍ରବଞ୍ଚନା ଓ ପ୍ରତାରଣା ସମ୍ପର୍କକୁ କଳୁଷିତ କରୁଛି ।କେଉଁଠି ହତ୍ୟା ତ କେଉଁଠି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଆଜି ପ୍ରେମରେ କଳଙ୍କର କାଳିମା ବୋଳି ଦେଉଛି।
ସତରେ ସମ୍ପର୍କ ଆଜି କାଠଗଡ଼ାରେ । ସମ୍ପର୍କକୁ ଭିତ୍ତି କରି ଯେଉଁ ସମାଜ ଗଢ଼ି ଉଠିଛି, ମଣିଷ ନିଜକୁ ସାମାଜିକ ପ୍ରାଣୀ ବୋଲି କହି ଗର୍ବ କରୁଛି, ସମ୍ପର୍କର ମୂଳଦୁଆ ଦୋହଲି ଗଲେ ନିଜକୁ ପଶୁଠାରୁ ଉନ୍ନତ ବୋଲି ଦାବୀ କରିବ କେଉଁ ନ୍ୟାୟରେ ? ମଣିଷ ନିକଟରେ ଯଦି ପଶୁ ବା ପାଶବିକ ପ୍ରବୃତ୍ତି ରହିଲା ତେବେ ତାକୁ ସଭ୍ୟ କହିବାରେ ଯଥାର୍ଥତା କେଉଁଠି ? ଭାଇ,ବନ୍ଧୁ, କୁଟୁମ୍ବନଥିବା ଯୋଗୁଁ ପଶୁ ସ୍ୱଭାବରେ ହିଂସ୍ର । ଅଥଚ ସବୁ ଥାଇ ମଣିଷ ଆଚରଣରେ ହିଂସ୍ର ହେବା ଦୁର୍ଭାଗ୍ୟ ଜନକ ନୁହେଁ କି ?ପଶୁ ତାର ଯୌନକ୍ଷୁଧା ମେଣ୍ଟାଇବା ବେଳେ ସମ୍ପର୍କର ବାଡ଼ବତା ମାନେ ନାହିଁ । ମଣିଷ ଯଦି ତାହା ହିଁ କରିବ ତେବେ ସେ ଚେହେରାରେ ନ ହେଲେ ବି ମାନସିକ ସ୍ତରରେ ପଶୁତୁଲ୍ୟ ନୁହେଁ କି ? ଶାରିରୀକ ସମ୍ପର୍କ ପରେ କୌଣସି ପଶୁ ତାକୁ ଜୀବନରୁ ମାରିଦେବା ଦେଖାଯାଏ ନାହିଁ ।କିନ୍ତୁ କିଛି ଉଦଭ୍ରାନ୍ତ ମଣିଷ ପଶୁ ଠାରୁ ହୀନ ପାଲଟି ଯାଇ ନିଜର ଯୌନଲାଳସା ମେଣ୍ଟାଇ ସାରିବା ପରେ ନୃସଂଶ ଭାବେ ହତ୍ୟା କରୁଛନ୍ତି । ହତ୍ୟା, ଲୁଣ୍ଠନ, ଧର୍ଷଣ ଏସବୁ ମଣିଷର ଅମାନବୀୟ ପ୍ରବୃତ୍ତି । ମଣିଷର ସାମଗ୍ରିକ ବିକାଶ ବିନା ଏହିସବୁ ପ୍ରବୃତ୍ତିର ବିନାଶ ସମ୍ଭବ ନୁହେଁ ।ଏଥିପାଇଁ ସାମାଜିକ ସଂଗଠନଗୁଡ଼ିକର ଭୂମିକା ଅତୁଳନୀୟ । କିନ୍ତୁ ମନେ ରଖିବା ଉଚିତ ସମ୍ପର୍କରୁ ସଂଗଠନ।ସମ୍ପର୍କର ଗୋଲାପ ମଉଳି ଗଲେ ସମସ୍ତ ସାମାଜିକ ସଂଗଠନ ସଶକ୍ତ ଓ ସ୍ୱାବଲମ୍ବୀ ହେବା ଅସମ୍ଭବ ।
ପ୍ରାକ୍ତନଯୁଗ୍ମ ସାଧାରଣ ସମ୍ପାଦକ ଓଷ୍ଟା
୭୦୦୮୦୭୩୫୯୯
Comentários